Unknown

 

 

 

 

 

 

 

 

 

ଶ୍ରୀରାଧିକା ସ୍ମରଣ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ବୈଷ୍ଣବ ସାହିତ୍ୟରେ ରାଧାକୃଷ୍ଣଙ୍କ ମିଳନ ଚିତ୍ର ଅପୂର୍ବ, ଅଲୌକିକ ରୂପ ଧାରଣ କରିଛି । କୃଷ୍ଣଙ୍କୁ ନ ଦେଖି ରାଧା ପାଗଳିନୀ । ରାଧାଙ୍କୁ ଝୁରି ଝୁରି କୃଷ୍ଣ ବିରହାନଳରେ ଜର୍ଜରିତ । କବି ଦୀନକୃଷ୍ଣ ରାଧାକୃଷ୍ଣଙ୍କ ପ୍ରେମଲୀଳା, ବିରହ ଦୁଃଖକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ଉକ୍ତ ଚଉତିଶାରେ । ମଥୁରା କଟକରେ ରହିଛନ୍ତି କୃଷ୍ଣ- ମନ ଓ ହୃଦୟ କିନ୍ତୁ ଗୋପାଙ୍ଗନା ରାଧିକାଙ୍କ ପାଖରେ । ତାଙ୍କ ରୂପ, ଗୁଣ, ପ୍ରେମାଳାପ ସବୁକୁ ଝୁରି ବିତଣ୍ଡା ହୋଇଗଲେଣି ଶ୍ରୀକୃଷ୍ଣ-। ଅହରହ ରାଧାଙ୍କ ବିଚ୍ଛେଦରେ ପ୍ରଳାପ କରୁଛନ୍ତି ସେ । ବାରମ୍ବାର ରାଧାଙ୍କ ନାମକୁ ସ୍ମରଣ କରୁଛନ୍ତି । ଶ୍ରୀରାଧାଙ୍କ ପାଦ ତଳେ ବୈଷ୍ଣବ କବି ଦୀନକୃଷ୍ଣ ନିଜର ସମସ୍ତ ଭକ୍ତି ନୈବେଦ୍ୟ ଢାଳି ଦେଉଛନ୍ତି- ରାଧାଙ୍କ ଅପୂର୍ବ ମହିମା ଗାନ ହିଁ ଏହି ଚଉତିଶାର ସାମଗ୍ରିକ ଉଦ୍ଦେଶ୍ୟ ।)

 

କମଳନୟନ କଂସ କଟକରେ କରନ୍ତି ବିଚାର

କି କରୁଥିବ ସେ କଳକଣ୍ଠ କଣ୍ଠୀ ରାଧିକା ମୋହୋର ।

କଣ୍ଠର ଅମୂଲ୍ୟ ନକ୍ଷତ୍ରକଣ୍ଠୀ ମୋ ନୟନ ପ୍ରତିମା

କି ବିଚାରୁଥିବ ସେହି ବଞ୍ଚୁଥିବ ଆହାରେ ମୋ ରାମା ।୧।

ଖୋଜିଲେ ସକଳ ବ୍ରହ୍ମାଣ୍ଡେ ଯାହାକୁ ନ ପାଇ ସମାନ

ଖଳ ଦଇବ ବଶରୁ ଛାଡ଼ି ତାକୁ କଲି ମୁଁ ଗମନ ।

ଖଣ୍ଡ ଖଣ୍ଡ ହୋଇ ଫାଟିତ ନ ଯାଇ ହୃଦୟ ମୋହୋର

ଖଞ୍ଜନୀନେତ୍ରୀ ବିନୁ ଯାହା ରହିଛଇ ଧିକ ଏ ଶରୀର ।୨।

ଗଜେନ୍ଦ୍ର ଗମନୀ ଗୋରୀ ସୁକୁମାରୀ ମୋ ପ୍ରାଣଈଶ୍ୱରୀ

ଗାଉଥିବ ମୋର ଗୁଣ ନିରନ୍ତରେ ସୁମରି ସୁମରି ।

ଗୁଣି କେତେବେଳେ ଅବଧିବଚନ ଛାଡ଼ିବ ନିଶ୍ୱାସ

ଗୁଆଁର ଠାରୁ ଗୁଣବନ୍ତ ପରାୟେ ହେବନି ନିରାଶ ।୩।

ଘନ ଘନ ହୋଇ ଘେନି ଉଠୁଥିବ ବିରହ ଅନଳ

ଘେନିବାକୁ ମୋର ଅତିଶୟ ଘନ ସେନେହ ପ୍ରବଳ ।

ଘର ବାହାର ସମାନ ମଣୁଥିବ ରମଣୀରତନ

ଘେନୁଥିବ ନାହିଁ ସଜନୀମାନଙ୍କ ଶୀତଳ ବଚନ ।୪।

ନବୀନ ବୟସୀ ପ୍ରାଣବାନ୍ଧବୀ ମୋ ପାଇଲା ବେଦନା

ନିର୍ଲଜ୍ଜ ଜୀବନ ନଯାଇ କିନା ତା କରୁଛୁ ଭାବନା ।

ନାହିଁ ଯାହାକୁ ସପନେ ଦୁଃଖ ଭେଟ ତାହାକୁ ଏ ଦଶା

ନିଶ୍ଚେ ନାଶ ଯାଇ ନିଷ୍ଠୁର ନାହାକୁ କଲେ ହେଁ ଭରସା ।୫।

ଭାବାର୍ଥ- (୧-୫) ଧନୁଯାତ୍ରା ଉତ୍ସବ ଦେଖିବାକୁ କୃଷ୍ଣ ମଥୁରା ଯାଇଛନ୍ତି। ସେଠାରେ ରହି ଗୋପପୁର, ଗୋପାଙ୍ଗନା ଓ ରାଧାଙ୍କ କଥା ମନେ ପକାଉଛନ୍ତି । କଳକଣ୍ଠ କଣ୍ଠୀ ମୋର ରାଧିକା, କଣ୍ଠର ଅମୂଲ୍ୟ ନକ୍ଷତ୍ର କଣ୍ଠୀ, ମୋ ନୟନ ପ୍ରତିମା ଏବେ କ’ଣ କରୁଥିବ ? ସକଳ ବ୍ରହ୍ମାଣ୍ଡ ଖୋଜିଲେ ତା’ ସମାନ ରମଣୀଟିଏ ମିଳିବ ନାହିଁ । ଦୁଷ୍ଟ ଦଇବ ଯୋଗୁଁ ତାକୁ ଛାଡ଼ି ଚାଲି ଆସିଲି । ଖଣ୍ଡ ଖଣ୍ଡ ହୋଇ ମୋ ହୃଦୟ ଫାଟି ଯାଉନି କାହିଁକି ? ଖଞ୍ଜନ ନେତ୍ରୀ ବିନା ଏ ଶରୀର ଯାହା ରହିଛି, ତାକୁ ଧିକ୍ ।

ଗଜଗମନୀ, ସୁକୁମାରୀ, ମୋ ପ୍ରାଣେଶ୍ୱରୀ, ମୋତେ ଝୁରି ଝୁରି ମୋ ଗୁଣକୁ ନିରନ୍ତର ଗାନ କରୁଥିବ । ପୁଣି କେତେବେଳେ ଗୁଣକୁ ଗୁଣି ଦୀର୍ଘଶ୍ୱାସ ଛାଡ଼ୁଥିବ । ମୂର୍ଖଠାରୁ ଗୁଣବନ୍ତଙ୍କ ପରି ସେ ନିରାଶ ହେବ ନାହିଁ । ତାକୁ ବାରମ୍ବାର ବିରହାନଳ ଜର୍ଜରିତ କରୁଥିବ । ମୋର ସ୍ନେହ କଥା ମନେ ପକାଇ ବ୍ୟତିବ୍ୟସ୍ତ ହେଉଥିବ । ମୋ ରମଣୀରତନ ଘରଟାକୁ ବଣ ବୋଲି ଭାବୁଥିବ-। ସଖୀମାନଙ୍କ କୋମଳ କଥାକୁ ବିଷତୁଲ୍ୟ ମନେ କରୁଥିବ । ମୋ ପ୍ରାଣବାନ୍ଧବୀ କେତେ କଷ୍ଟ ପାଇଲା । ମୋର ଏ ନିର୍ଲ୍ଲଜ ଜୀବନ ଯାଉନାହିଁ କାହିଁକି, ମୁଁ ଯାହା ଭାବନା କରୁଛି ! ସ୍ୱପ୍ନରେ ସୁଦ୍ଧା ଯିଏ ଦୁଃଖ ଦେଖିନାହିଁ, ତାକୁ ପୁଣି ଏ ଦଶା ଭୋଗିବାକୁ ପଡ଼ିଲା ? ନିଷ୍ଠୁର ଲୋକକୁ ଭରସା କଲେ ନାଶ ଯିବାଟା ନିଶ୍ଚିତ ।

 

ଚନ୍ଦ୍ରକର ଚନ୍ଦମଣିକି ଆରଦ୍ର କରଇ ଯେମନ୍ତ

ଚଣ୍ଡକର ଚଣ୍ଡମଣିକି ଆଉ ଯେ ନକରେ ତେମନ୍ତ ।

ଚନ୍ଦନ ଶୀତଳ ଦ୍ରବ୍ୟ ଘେନି ଦିବ୍ୟ ତାପକୁ ହରଇ

ଚୂରି କର୍ପୂର ଅନଳେ ଦେଲେ ସବୁ ପ୍ରକାରେ ସରଇ ।୬।

ଛାର କଂସନୃପ ବୋଲେଇ ଛାଡ଼ି ମୁଁ ଧଇଲି ତାହାକୁ

ଛୁରୀ ମାରି ହେଲି ଆପଣା ଇଚ୍ଛାୟେ କହିବି କାହାକୁ ।

ଛାଇ ପ୍ରାୟେ ହୋଇ ନିରନ୍ତରେ ଲାଗିଥାଇ ମୋ ସଙ୍ଗରେ

ଛାଡ଼ିତାକୁ ଛାର ଜୀବନ ରହିଣ ଅଛି ମୋ ଅଙ୍ଗରେ ।୭।

ଯେତେ ପ୍ରକାରେ ସୁଖ ମୋତେ ଦେଇଛି ମୋ ପ୍ରାଣବନିତା

ଜପାମାଳି କରି ଥାପିଲେ କେ ତାହା କରିବ ଗଣିତା ।

ଜିଇଁଥିବା ଯାୟେ ଯିବ କି ମନରୁ ତାହାର ସେନେହ

ଯାବତ ପ୍ରକାରେ ଜମ୍ବୁନଦଗୋରୀ କିଣିଛି ଏ ଦେହ ।୮।

ଝୁରୁ ଯେ ଥିବ କୁରରୀ ପକ୍ଷୀ ପ୍ରାୟେ ହରାଇ ବିବେକ

ଝର ପ୍ରାୟେ ଝର ଝର ବହୁଥିବ ନୟନୁ ଲୋତକ ।

ଝାମ ଯାଉଥିବ ଝସକେତୁ ଶରେ ଝଲକ ବଦନୀ

ଝାଳ ଅଙ୍ଗେ ଝଳି ଯାଇଥିବ ଝୀନ ସୁରଙ୍ଗ ପତନୀ ।୯।

ନ କରୁଥିବ କର୍ପୂର ଚନ୍ଦନାଦି ଲେପନ ବିଧାନ

ନାନାରତ୍ନ ଆଭରଣ ହୋଉଥିବ ଦୂଷଣ ସମାନ ।

ନେତ୍ରନୀରେ ଭାସିଯିବା ଡରେ ନିଦ୍ରା ଆସିବ କାହିଁକି

ନକଲା ବିଧାତା ଆଉ କେହ୍ନେ ଗତି ବିରହୀ ଦେହୀକି ।୧୦।

ଭାବାର୍ଥ- (୬-୧୦) ଚନ୍ଦ୍ରକିରଣ ଯେମିତି ଚନ୍ଦ୍ରମଣିକୁ ଆର୍ଦ୍ର କରିଥାଏ, ତୀକ୍ଷ୍‌ଣ ସୁର୍ଯ୍ୟକିରଣ ସୂର୍ଯ୍ୟମଣିକି ସେମିତି କରି ନ ଥାଏ । ଚନ୍ଦନ ଶୀତଳ ଦ୍ରବ୍ୟ ଯୋଗୁଁ ଦିବ୍ୟତାପକୁ ହରଣ କରିଥାଏ । ସେ ସବୁକୁ ଚୂର୍ଣ୍ଣ କରି ନିଆଁରେ ଦେଲେ ସବୁ ପ୍ରକାରେ ସରିଯାଇଥାଏ । ଛାର କଂସର ବୁଦ୍ଧିରେ ପଡ଼ି ତାକୁ ଛାଡ଼ି ଆସିଲି । ନିଜକୁ ନିଜେ ଛୁରୀ ମାରିଲି, କାହାକୁ କହିବି ? ମୋ ସଙ୍ଗରେ ସର୍ବଦା ଛାଇପରି ଲାଗୁଥିଲା । ତାକୁ ଛାଡ଼ି ଛାର ଜୀବନ ମୋ ଦେହରେ ରହିଛି । ଯେତେ ପ୍ରକାର ସୁଖ ମୋ ପ୍ରାଣସଖୀ ମୋତେ ଦେଉଛି, ତାକୁ ଜପାମାଳି କରି ଥାପିଲେ କିଏ ବା ଗଣିପାରିବ ? ତା’ର ସ୍ନେହ ଜିଇଁଥିବା ଯାଏଁ ମନରୁ ପାସୋର ହେବ ନାହିଁ । ଯାବତ ପ୍ରକାରେ ମୋ ପ୍ରାଣପ୍ରିୟା ଗୋରୀ ଏ ଦେହକୁ କିଣିଛି ।

ସେ ନିଜ ବିବେକକୁ ହରାଇ କୁରରୀ ପକ୍ଷୀ ପ୍ରାୟ ମୋତେ ଝୁରୁଥିବ। ତା’ ଚକ୍ଷୁରୁ ଝରଣାର ଜଳ ପରି ଲୁହ ଝରୁଥିବ । ମୋ ଝଲକ ବଦନୀ କନ୍ଦର୍ପ ଶରରେ ଆଘାତ ପାଇ ଝାମ ଯାଉଥିବ । ଝାଳରେ ତା’ ଦେହ ଝଳି ଯାଉଥିବ । ଅଙ୍ଗରେ କର୍ପୂର ଚନ୍ଦନ ଲେପନ ବିଧିଠାରୁ ଦୂରେଇ ରହୁଥିବ । ତା’ ପାଇଁ ବିଭିନ୍ନ ଅଳଙ୍କାର ଦୂଷଣ ମନେ ହେଉଥିବ । ଚକ୍ଷୁଜଳରେ ଭାସି ଯିବା ଡର ଯୋଗୁଁ ତାକୁ ନିଦ ଆସିବ କାହିଁକି ? ବିରହୀ ଦେହୀକୁ ବିଧାତା କାହିଁକି ଏତେ କଷ୍ଟ ଦେଲା ? ତା’ ପାଇଁ ଅନ୍ୟ ଗତି କାହିଁକି କଲା ନାହିଁ ?

ଟଳଟଳ ହୋଇ ଟଳି ପଡ଼ୁଥିବ ଅନଙ୍ଗ ଅବଶେ

ଟେକ ଲାବଣ୍ୟ ଟାଣ ମାତ୍ର ଥିବ ତା ସେ କୁଚ-କଳସେ ।

ଟେକି କେତେବେଳେ ସଖୀମାନେ ସ୍ନେହେ ପକାଇ ଅଙ୍କରେ

ଟେକ ସ୍ୱର ହୋଇ ଡାକୁଥିବେ ଟଙ୍କଧରକୁ ଉଚ୍ଚରେ ।୧୧।

ଠାକୁରାଣୀ ପଣ ଲକ୍ଷଣ ତାହାର ଅପାରୁ ଅପାର

ଠାଠିକ କରି ତାହାଠାରେ କଲି ମୁଁ ଠକଙ୍କ ବେଭାର ।

ଠିଆହୋଇ ଯେ ଚାହୁଁଥାଇ ଗୋଧନ ବାହୁଡ଼ା ସମୟେ

ଠାଠିକ ଆଷାଢ଼ ମେଘକୁ ତୃଷିତ ଚାତକ ପରାୟେ ।୧୨।

ଡେରିଥାଇ ନେତ୍ର ଶ୍ରବଣ ମୋହୋର ମୂରଲୀ ଧୂନିକି

ଡର ଲାଗେ ମୋତେ ଏ କଥା ଶୁଣିଣ କହିବି କାହିଁକି ?

ଡେରି ଶ୍ରବଣ ନେତ୍ର ଏବେ କାହାକୁ କରିବି ଭରସା

ଡକାତ ହେଲା ମୋ ଡାଳିମ୍ବଦନ୍ତୀକି ଥିଲା ସେ ୟେଦଶା ।୧୩।

ଢାଳି କରେ ଗଣ୍ଡପାଳୀ ଭାଳୁଥିବ ମୋହୋର ପ୍ରସଙ୍ଗ

ଢଳିଥିବ ତାର ସୁରଙ୍ଗ-କୁରଙ୍ଗ-ନୟନ-ତରଙ୍ଗ ।

ଢାଳେ ମୋର ଦୟା ଉପ୍ରୋଧ ନାହିଁ ମୁଁ ଅତି ହିଁ ଦାରୁଣ

ଢୋକିଲା ଅମୃତ ଢାଳିଦେଇ ଏବେ କରୁଛି କାରଣ ।୧୪।

ଆହାରେ ଆଜନ୍ମ ସୁଖୀ। ଶଶୀମୁଖୀ। ଆହାରେ ସଜନୀ

ଏହା ଅରଜିଲି ତୋ ବିନୁ ବଞ୍ଚିଲି ଏ ମଧୁ ରଜନୀ ।

ଏମନ୍ତେ କରି ମୋ କର୍ମରେ ହିଁ ଲେଖିଥିଲା ସେ ଦଇବ

ଅଧା ପ୍ରାଣ ଯାଇ ଅଧା ପ୍ରାଣ ଥାଇ ଦେହ ସହିବ ।୧୫।

 

ଭାବାର୍ଥ- (୧୧-୧୫) ମୋ ପ୍ରାଣପ୍ରିୟା ଶରୀର ଅବଶରେ ଟଳଟଳ ହୋଇ ଟଳିପଡ଼ୁଥିବ । ତା’ ବକ୍ଷୋଜ-କଳସରେ କିନ୍ତୁ ଲାବଣ୍ୟଟାଣ ବଜାୟ ରହିଥିବ । କେତେବେଳେ ସଖୀମାନେ ତାକୁ ଟେକି ସ୍ନେହରେ କୋଳରେ ପକାଉଥିବେ ଓ ଉଚ୍ଚ ସ୍ୱରରେ ମହାଦେବଙ୍କୁ ଡାକୁଥିବେ । ତା’ ରି ପାଖରେ ଠାକୁରାଣୀ ପଣ ଲକ୍ଷଣ ଅଧିକରୁ ଅଧିକ ରହିଛି, ତା’ରିଠାରେ ମୁଁ ଠକଙ୍କ ବେଭାର କରିଛି । ମୁଁ ଗୋଠରୁ ଗୋପଲ ବାହୁଡ଼ାଇ ଆଣିବା ବେଳେ ଦାଣ୍ଡରେ ଠିଆ ହୋଇ ସେ ମୋତେ ଆଷାଢ଼ ମେଘକୁ ତୃଷାତୁର ଚାତକ ଚାହିଁ ରହିଲା ଭଳି ଚାହିଁଥାଏ । ମୋ ମୁରଲୀ ଧ୍ୱନିକୁ ତା’ କାନ, ଆଖି ଡେରି ରହିଥାଏ । ଏବେ ତ ସିଏ ନାହିଁ, କାହାକୁ ଭରସା କରିବି ? ମୋ ଡାଳିମ୍ବଦନ୍ତୀକୁ ଏମିତି ଅବସ୍ଥା ଭୋଗିବାକୁ ଥିଲା ।

 

ମୋ ବିଷୟ ଦିନରାତି ସେ ଭାବୁଥିବ । ତା’ର କୁରଙ୍ଗ ନୟନ ଲହରୀ ଭାଙ୍ଗିଥିବ । ମୁଁ ଅତି ହୀନ ଯୋଗୁଁ ମୋ ପ୍ରତି ତା’ର ଦୟା କିମ୍ବା ଉପ୍ରୋଧ ନାହିଁ । ଢୋକିଲା ଅମୃତ ଢାଳି ଦେଇ ଏବେ ତା’ର କାରଣ କରୁଛି । ଆହାରେ ଆଜନ୍ମସୁଖି, ଚନ୍ଦ୍ରମୁଖି, ଆହାରେ ସଜନି, ଏହା ମୁଁ ଅର୍ଜିବାର ସାର ହେଲା ଯେ, ତୋ ବିନା ମୁଁ ଏ ମଧୁରଜନୀରେ ବଞ୍ଚିଲି। ସେ ବିଧାତା ଏମିତି ମୋ କର୍ମରେ ଲେଖିଥିଲା । ଅଧା ପ୍ରାଣଥାଇ ଅଧାପ୍ରାଣ ରହିଛି । ତାହା ଏ ଦେହ କିମିତି ସହିବ ?

 

ତାପ-ତଟିନୀ ତଟ ତରୁ ହୋଇଛି ହୃଦୟ ମୋହର

ତହିଁ ପୁଣି କାମ କରୁଅଛି ଶର ବରଷା ପ୍ରଖର ।

ତାହା ଦୁଖେ ଦୁଃଖୀ ତାହା ସୁଖେ ସୁଖୀ ସିନା ଏ ଶରୀର

ତଥାପି ତରୁଣୀମଣି କଥାକୁ ମୋ ହେଉଛି ବିଚାର ।୧୬।

ଥରୁ ଯେ ଥିବ ମଦନ ପଶଞ୍ଚରେ ଥବିର ହୃଦୟା

ଥରେ ଥରେ ବୋଲୁଥିବ ପ୍ରାଣବନ୍ଧୁ ଅତି ହିଁ ନିର୍ଦ୍ଦୟା ।

ଥିବନି କି ତାର ସେ ଚନ୍ଦ୍ର ବଦନେ ସେ କାଳ ପ୍ରସନ୍ନ

ଥିବାକାଳେ ତାହା ପାଶେ ଯାହା ଦେଖିଥିଲା ଏ ନୟନ ।୧୭।

ଦୂର କରିଥିବ ଦରହାସକୁ ସେ ବନ୍ଧୁକ-ଅଧର

ଦଇବେ ବିଶ୍ୱାସ ରଖି ନଥିବ ତା ସୁରଙ୍ଗ ବେଭାର ।

ଦିବ୍ୟକନକ କେତକୀ ଦେହ ଛାଡ଼ିଥିବ ତା ଝଳିକି

ଦୁର୍ବଳ ଭାବରୁ ବହୁନଥିବ ସେ ମୁକୁତା ମାଳିକି ।୧୮।

ଧୀରେ ସଖୀମାନେ ଅନାଇଁ ଧରଣୀ ମଣ୍ଡନୀ ମୂର୍ତ୍ତିକି

ଧଇର୍ଯ୍ୟ ହରାଇ ଧିକ୍‌କାରୁ ଥିବେ ମୋ ପ୍ରମାଦ ପ୍ରୀତିକି ।

ଧ୍ରୁବ ହୋଇ ଧ୍ରୁବ ଲୋକେ ଯଇଁ ପ୍ରୀତି କରିଛି ପ୍ରକଟ

ଧାତା ହଟ ଦେଖ ତହିଁ ପୁଣି କଲା ଏମନ୍ତ କପଟ ।୧୯।

ନ କରଇ ଜଳ କେତେବେଳେ କାହା କି ନୋହେ ଏଦେହ

ନେତ୍ର ପଲକ ଯେ ନ ସହେ ସହିଲା ସେ ଏତେ ବିରହ ।

ନୃପତି ସମ୍ପତ୍ତି କେତେବେଳେ କେତେବେଳେ ହେଁ ଦୀନତା

ନଥିବା ଥିବା ଥିବା ନଥିବା କରେ ଦଇବ ବିଧାତା ।୨୦।

ପ୍ରାଣବାନ୍ଧବୀ ମୁଖ କାହିଁ ଚାହିଁବି, କାହିଁ ଏ ସନ୍ତାପ

ପଡ଼ିଲା ଅମୃତ ଦୃଷ୍ଟିରେ ବରଷା ପାଷାଣ କଳାପ ।

ପୀତ ବସନୀ ମତ୍ତପିକ ବଚନୀ ଚମ୍ପକ ବରନୀ

ପୁଷ୍ପକାଳ ପ୍ରାୟେ ସୁଖଦ ପଲ୍ଲବ ଦଶନବସନୀ ।୨୧।

ଫୁରୁଣାରେ ଫୁଲ କୁସୁମ ଦେଖି ଯେ ହୁଅଇ ଅଧିର

ଫୁଲୁଥାଇ ଫୁଲ କଦମ୍ବ ପରାୟେ କେତକୀ ଶରୀର ।

ଫାଟିଯାଉଥିବ ହୃଦୟ ଏବେ ଯେ ଅନାଇଁ ଏ ମାନ

ଫୁଲଶର ଶରେ ଫୁଟୁଥିବ ମୋର ଜୀବନର ଜୀବନ ।୨୨।

ଭାବାର୍ଥ-(୧୬-୨୨) ମୋର ହୃଦୟ ତାପ-ନଦୀ ତଟର ବୃକ୍ଷ ପରି ହୋଇଛି । ସେଥିରେ ପୁଣି କାମ ପ୍ରଖର ଭାବେ ଶର ବର୍ଷା କରୁଛି । ତା’ର ଦୁଃଖର ଦୁଃଖୀ, ସୁଖରେ ସୁଖୀ ସିନା ଏ ଶରୀର। ତଥାପି ସେ ରମଣୀ ମଣି ମେ। କଥାକୁ ବିଚାର କରୁଛି । କନ୍ଦର୍ପର ପଞ୍ଚଶରରେ ପ୍ରିୟାର ହୃଦୟ ଥରୁଥିବ, ଥରେ ଥରେ କହୁଥିବ- ପ୍ରାଣବନ୍ଧୁ ଅତି ନିର୍ଦ୍ଦୟ । ମୋ ପାଶରେ ଥିବାବେଳେ ସେଇ ପ୍ରସନ୍ନ ଭାବ ଦେଖିଥିଲି । ସେହି ପ୍ରସନ୍ନତା ପ୍ରିୟାର ଚନ୍ଦ୍ରବଦନରେ ନ ଥିବ କି-? ସେ ବନ୍ଧୁକ ଅଧରୀ ବିରହ ଦୁଃଖରେ ତା ମୁଖର ଦରହାସକୁ ଦୂର କରିଦେଇଥିବ । ଦଇବ ଯୋଗରେ ତା’ ସୁରଙ୍ଗ ବେଭାର ନିଶ୍ୱାସ ରଖି ନ ଥିବ । ତା’ର ଦିବ୍ୟକେତକୀ କନକ ଦେହ ତେଜକୁ ଛାଡ଼ି ଦେଇଥିବ । ଏତେ ଦୁର୍ବଳ ହୋଇଥିବ ଯେ, ମୁକୁତାମାଳି ମଧ୍ୟ ତାକୁ ଭାରୀ ଲାଗୁଥିବ-

ସଖୀମାନେ ଧୀର ଭାବରେ ଧରଣୀ ମଣ୍ଡନୀକୁ ଚାହିଁ ମୋ ସହିତ ତା’ର ପ୍ରୀତିଭାବକୁ ଧୈର୍ଯ୍ୟ ହରାଇ ଧିକ୍‌କାର କରୁଥିବେ । ଧ୍ରୁବ ଲୋକରେ ବିଧାତା ଯେଉଁ ପ୍ରୀତିକୁ ପ୍ରକାଶ କରନ୍ତି, ସେଥିରେ ପୁଣି ଏତେ କପଟ ରହିଛି । ଯିଏ ନେତ୍ରର ପଲକ ସହିପାରେ ନାହିଁ, ସିଏ ପୁଣି ଏତେ ବିରହ ସହିଲା ? ରାଜ ସମ୍ପତ୍ତି କେତେବେଳେ ତ କେତେବେଳେ ଦରିଦ୍ରତା, ନଥିବା ଥିବା ଥିବା ନ ଥିବା ହାତରେ ଦଇବ ଧନ ଦେଇଥାଏ । ଏହା ସଂସାରର ନିୟମ ।

ପ୍ରାଣବାନ୍ଧବୀ ମୁଖ କାହିଁକି ଚାହିଁବି, କାହିଁକି ଏ ଦୁଃଖ ? ଅମୃତ ଦୃଷ୍ଟିରେ ବର୍ଷାପାତ ହେଲା । ପୀତବସନୀ, ମତ୍ତପିକ ବଚନୀ ଚମ୍ପକ ବରନୀ ପୁଷ୍ପକାଳ ପରି ସଦାସର୍ବଦା ସେ ପଲ୍ଲବ ଦଶନବସନୀ ହୋଇଥାଏ । ଆନନ୍ଦରେ ଫୁଲ ଦେଖି ଯିଏ ଅଧିର ହୋଇଥାଏ, ଯାହାର କେତକୀ ଶରୀର କଦମ୍ବଫୁଲ ପରି ଫୁଲୁଥାଏ, ଏ ସବୁକୁ ଦେଖି ଏବେ ତା’ର ହୃଦୟ ଫାଟିଯାଉଥିବ । ମୋ ପ୍ରାଣ ପ୍ରିୟାର ଜୀବନ ଫୁଲଶରରେ ଫୁଟୁଥିବ ।

 

ବଡ଼କରି ଲୋକେ ଗ୍ରୀଷମେ ଘେନନ୍ତି କର୍ପୂର ଚନ୍ଦନ

ବିଧୁ ବଦନା ଅଙ୍ଗ ସଙ୍ଗୁ ଲୋଡ଼ା ମୋ ନଥାଇ ସେମାନ ।

ବଞ୍ଚାଇବ କଉଁ ପ୍ରକାରେ ବିରଞ୍ଚି ଅଇଲେ ସେ କାଳ

ବିରହ ଅଗ୍ନିରେ ଘୃତ ସମ ଦେଲେ ଜଳଇ ପ୍ରବଳ ।୨୩।

ଭାବିଲା ସବୁ ଭରସା ଏକା ଭୂରୁଶୋଭନୀ ବିହୁନେ

ଭୂପତି ନଥିଲେ ସମ୍ପତ୍ତି ଯେମନ୍ତ ସୁଖକୁ ନ ଘେନେ ।

ଭାବଗ୍ରାହୀ ଭରସାରେ ଭାବେ ମତେ ଭଜିଲା କମଳା

ଭାସିଲା ଅଗାଧ ଜଳଧିରେ ଭେଳା ଲଗାଅ ଅବଳା ।୨୪।

ମୋତେ ମେଘ କରି ବିଜୁଳି ହୋଇ ଯେ ଝଟକେ କୋଳରେ

ମରାଳ-ଗମନୀ କିରୂପେ ବଞ୍ଚିବ ଏ ଘନକାଳରେ ।

ମୟୂର ଡାକରେ ମେଘ ଦମକରେ ପଡ଼ିବ ଚମକ

ମଲିତ ନାହିଁ ମୋ ପ୍ରାଣ ବନ୍ଧୁ କେତେ ସହିବ ଆତଙ୍କ ।୨୫।

ଜୀବ ଥିବ ନିକି ଶରଦଶଶୀର ହେମନ୍ତ ସରିକି

ଯାବତ ପ୍ରକାରେ ଦୁଃଖ ଦେଲା ବିହି କନଗୋରୀକି ।

ଜାଣିଲି ସଂସାରେ ନାହିଁ ନାହିଁ ଧାତା ସମାନେ ଦାରୁଣ

ଯାହାକୁ ଦେଖିଲେ ପଶୁ ବଶ ହୋଏ ତାକୁ ଏ କଷଣ ।୨୬।

ରତିପତିକି କି ବୋଲିବା ଗତି ଯେ ନ କଲେ ବିଚ୍ଛେଦେ

ରଖିଛି ସେ ଏବେ ଜୀବନେ ତାହାକୁ ସେନେହ ପ୍ରମାଦେ ।

ରସବତୀ ରସେ ରସିକ ହୋଇ ମୁଁ ରହିଲି ନିଶ୍ଚିନ୍ତେ

ରହିଲେ ଯେମନ୍ତେ ଜଳରେ ଉତ୍ପଳ ହୃଦୟ ନ ତିନ୍ତେ ।୨୭।

ଲୋକେ ତାହାକୁ ଯେ ଲେଖନ୍ତି ଆଗରେ ଉତ୍ତମ ବିଚାର

ଲୋଡ଼ା ଏହି କଥା ଲାଗିଛି ବାରତା ପଛରେ ମୋହୋର ।

ଲକ୍ଷେ ପ୍ରକାରେ ଅପରାଧ କଲେ ସେ ନୋହଇ ବିମନା

ଲଳିତଲପନୀ କ୍ଷମା-ଜଳନିଧି ଦୟାରେ ସୁମନା ।୨୮।

 

ଭାବାର୍ଥ- (୨୩-୨୮) ବଡ଼ବଡ଼ିଆ ଲୋକମାନେ ଗ୍ରୀଷ୍ମ ସମୟରେ ତାପରୁ ରକ୍ଷା ପାଇବା ପାଇଁ ଦେହରେ କର୍ପୂରଚନ୍ଦନ ବୋଳି ହୁଅନ୍ତି । ଚନ୍ଦ୍ରବଦନୀ ମୋ ସଙ୍ଗ ପାଇଲେ ସେ ସବୁକୁ ଚାହିଁବ ନାହିଁ । ସେ କାଳ ଆସିଲେ ବିଧାତା ତାକୁ କିମିତି ବଞ୍ଚାଇବ ? ବିରହ-ଅଗ୍ନିରେ ଘିଅ ଢାଳିଲେ ପ୍ରବଳ ଜଳେ । ସେମିତି ଏକେ ତ ଗ୍ରୀଷ୍ମୠତୁ, ସେଥିରେ ପୁଣି ବିରହ-ଅଗ୍ନି । ଭୀଷଣ କଷ୍ଟ ହେବ। ରାଜା ନଥିଲେ ସମ୍ପତ୍ତି ଯେମିତି ସୁଖ କାମରେ ଲାଗେ ନାହିଁ, ସେମିତି ବାଳା ବିନା ସବୁ ଭରସା ମୂଲ୍ୟହୀନ । ଭାବଗ୍ରାହୀ ଭରସାରେ ଭାବରେ ଲକ୍ଷ୍ମୀ ମୋତେ ଆଦରିନେଲା । ଅଗାଧ ସମୁଦ୍ରରେ ଭାସିଗଲା । ମୁଁ ତା’ରା ଭେଳା ହେଲି । ମୋତେ ମେଘ କରି ମୋ ଦେହରେ ସେ ବିଜୁଳି ହୋଇ ଝଟକିଲା । ଏ ବର୍ଷାକାଳରେ ସେ ହଂସଗମନୀ କିପରି ବଞ୍ଚିବ ? ମୟୂରର ଡାକ, ମେଘର ଗର୍ଜନରେ ସେ ଚମକି ପଡ଼ିବ । ସେ ଦୁଃଖକୁ ମୋ ପ୍ରାଣବନ୍ଧୁ କିମିତି ସହିବ ?

 

ହେମନ୍ତ ୠତୁ ଆସିଲାବେଳେକୁ ସେ ଶରଦ ଶଶୀମୁଖୀର ଜୀବନ ଥିବ କି ନାହିଁ କେଜାଣି ? ନିଷ୍ଠୁର ବିଧାତା ମୋ କନକଗୋରୀକୁ ସମସ୍ତ ପ୍ରକାର ଦୁଃଖ ଦେଲା । ଏଇଥିରୁ ମୁଁ ଜାଣିଲି, ସଂସାରରେ ବିଧାତା ସମାନ ନିଷ୍ଠୁର କେହି ନାହାନ୍ତି । ଯାହାକୁ ଦେଖିଲେ ପଶୁର ବି ହୃଦୟ ତରଳିଯାଏ, ତାକୁ ଏ ଦଣ୍ଡ ? ଆମର ବିଚ୍ଛେଦ ଯନ୍ତ୍ରଣା । ସେଥିପାଇଁ କନ୍ଦର୍ପକୁ ଦୋଷ ଦେଇ ଲାଭ କ’ଣ ? ସେ ଏବେ ବାଳାକୁ ସ୍ନେହପ୍ରମାଦ ଦେଇ ଜୀବନରେ ରଖିଛି । ଜଳ ମଧ୍ୟରେ ପଦ୍ମର ଭିତର ଅଂଶ (ହୃଦୟ) ରହିଲେ ମଧ୍ୟ ଯେମିତି ତାହା ତିନ୍ତେ ନାହିଁ, ସେମିତି ରସବତୀର ରସରେ ରସିକ ହୋଇ ମୁଁ ନିଶ୍ଚିନ୍ତ ରହିଲି । ଆମ ଦୁହିଁଙ୍କ ମଧ୍ୟରୁ ଲୋକେ ତାକୁ ବେଶି ଭଲ ପାଆନ୍ତି । ତେଣୁ ତା’ ନାଁଟାକୁ ଆଗରେ ଲେଖନ୍ତି ଓ ପଛରେ ମୋ ନାଁ ଯୋଡ଼ନ୍ତି । ଏହା ଉତ୍ତମ ବିଚାର । ମୁଁ ଲକ୍ଷେ ପ୍ରକାର ଅପରାଧ କଲେ ମଧ୍ୟ ସେ କେବେ ହେଲେ ବିମନା ହୁଏ ନାହିଁ । ସେ କ୍ଷମାର ବାରିଧି, ଉତ୍ତମମନା ।

 

 

ବଳା କୋମଳା ସୁଶୀଳା ଯେ ଲେଶେ ହେଁ ନ ଛାଡ଼େ ଲୀଳାକୁ

ବଡ଼ ଆଭରଣ କରିଥିବ ଏବେ ଲୋତକମାଳାକୁ ।

ବାହୁଡ଼ି ଆଉ ଦେଖିବି ନିକି ବିଧୁବଦନୀ ବଦନ

ବିଧାତା ଏହା ସତେ କରିବ ଯିଏ ମଦନ କଦନ ।୨୯।

ସବୁ ସହଇ ହରଇ ଏ ଦେହ ବସୁମତୀ ପରାୟେ ପ୍ରମାଣ

ଶଶୀମୁଖୀକି ଦୁଃଖ ସୁଖ ଦେବାକୁ ମୁଁ ଆଗ କାରଣ ।

ଶୀର୍ଣ୍ଣ ହୋଇବ ପୂର୍ଣ୍ଣମୀ ଚନ୍ଦ୍ରକଳା ପରାଏ ଏଣିକି

ଶିବ ଶିବ ଶିବ ରଖ ରଖ ରଖ ମୋ ପ୍ରାଣ ମଣିକି ।୩୦।

ସକଳ ଚନ୍ଦ୍ରମା ହେଲେ ତୁମ୍ଭଶିର ମଣ୍ଡନ ଯେମନ୍ତ

ସକଳ ରୂପେ ସକଳ ଚନ୍ଦ୍ରମୁଖୀ ମୋହୋର ତେମନ୍ତ ।

ଶେଷ ନୋହେ ମନୋଭାବ ନବଦଶା ଭିତରେ ଥିଲେ ହେଁ

ଶଙ୍ଖଚକ୍ରପାଣି ରଖିବେ ମୋ ଗୁଣମଣିକି ଭଲେ ହେଁ ।୩୧।

ସୁମରି ଏହି ପ୍ରକାରେ ସୁନ୍ଦରୀକି ପକାଇ ନିଶ୍ୱାସ

ସଜଳ ନୟନା ହୋଇ ହେଲେ ସେହି କଥାରେ ପ୍ରବେଶ ।

ସୁମରି ସୁମରି ସୁପୁରୁଷେ ଯଦି ହୁଅଇ ଦୀନତା

ସୁମନସ ଶର ସରସ୍ୱତୀ ଧିକ ଧିକ ସେ ବିଧାତା ।୩୨।

ହୃଦୟେ ଏହା ବିଚାରି ଉଦ୍ଧବକୁ କହିଲେ ସନ୍ଦେଶ

ହଂସଗମନୀ ଗୋପୀଙ୍କି ତୁମ୍ଭେ ଯାଇ କରାଅ ସନ୍ତୋଷ ।

ହୋଇଛନ୍ତି ସେ ମୋ ସଙ୍ଗ ବିହୁନେ ସାରସ ସଦୃଶ

ହରଷ କରାଇ ତାଙ୍କୁ ତୁମ୍ଭେ ଯାଇ ହୋଇବ ଦିବସ ।୩୩।

କ୍ଷମାସାଗର ଆଜ୍ଞା ଘେନି ଉଦ୍ଧବ ଗୋକୁଳେ ପ୍ରବେଶ

କ୍ଷମାକର ମୁଖୀ କ୍ଷିତିମଣ୍ଡନୀକି କହିଲେ ସନ୍ଦେଶ ।

କ୍ଷୋଭ ଛାଡ଼ି ଗୋପୀ ନ ଛାଡ଼ିଲେ କେତେ ବେଳେହେଁ ଆଶକୁ

କ୍ଷେମେ ଦୀନକୃଷ୍ଣ ବୋଲେ ବଚନ କି ଦରିଦ୍ର ନାଶକୁ ।୩୪।

 

ଭାବାର୍ଥ- (୨୯-୩୪) ସେ ଅବଳା, କୋମଳା, ସୁଶୀଳା ହେଲେ ହେଁ ପ୍ରେମ ଲୀଳାକୁ କ୍ଷଣେ ମଧ୍ୟ ଛାଡ଼େ ନାହିଁ । ହସିଖୁସିରେ ସମୟ କାଟୁଥିଲା । ଏବେ ଲୁହକୁ ଆଭରଣ ବା ନିଜର କରିଥିବ । ସତରେ କ’ଣ ମୁଁ ଗୋପପୁରକୁ ବାହୁଡ଼ି ତା’ ଚନ୍ଦ୍ରବଦନକୁ ଦେଖିବି ? ବିଧାତା କ’ଣ ସତରେ ଏହା କରିବ। ମଦନର କଷଣ ଦୂର ହେବ ? ମାଟି ପରି ଏ ଦେହ ସବୁ ସହିଛି । ଚନ୍ଦ୍ରବଦନୀକୁ ସୁଖ ଦୁଃଖ ଦେବାରେ ମୁଁ ମୁଖ୍ୟ କାରଣ । ଏଣିକି ତା ପୂର୍ଣ୍ଣମୀ ପରାୟ ଦେହ ଶୀର୍ଣ୍ଣ ହୋଇଯିବ । ହେ ଭଗବାନ ଶିବ, ମୋ ପ୍ରାଣମଣିକୁ ରକ୍ଷା କର । ତୁମ ମସ୍ତକ ଦେହରେ ଚନ୍ଦ୍ରମା ଯେପରି ଶୋଭିତା, ସେମିତି ଚନ୍ଦ୍ରମୁଖୀ ସକଳ ରୂପରେ ମୋ ପାଇଁ ଶୋଭିତା । ସେ ଯେତେ କଷ୍ଟରେ ଥିଲେ ହେଁ ପ୍ରଭୁ ଭଗବାନ ତା’ ଦୁଃଖ ଦୂର କରିବେ । ମୁଁ ଏହି କଥା ଭାବି ତାକୁ ସୁମରଣା କରୁଛି । ଯଦି ଏହିଭଳି ସୁମରଣା କରି କରି ପୁରୁଷର ଦୀନତା ଭାବ ଆସିଯିବ । ଧିକ୍ ସେ ବିଧାତା-

 

ହୃଦୟରେ ଏହା ବିଚାର କରି କୃଷ୍ଣ ଉଦ୍ଧବଙ୍କୁ କହିଲେ- ହେ ଉଦ୍ଧବ, ତୁମ୍ଭେ ଗୋପପୁରକୁ ଯାଇ, ହଂସଗାମିନୀ ଗୋପୀଙ୍କୁ ସନ୍ତୋଷ କରାଅ । ମୋ ବିନା ସେମାନେ ସାରସପକ୍ଷୀ ସଦୃଶ ହୋଇ ପଡ଼ିଛନ୍ତି । ତୁମ୍ଭେ ସେମାନଙ୍କୁ ସବୁ କଥା କହି ସନ୍ତୋଷ କରାଅ । କ୍ଷମାସାଗର ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଉଦ୍ଧବ ଗୋପପୁରକୁ ଚଳିଗଲେ ଓ ରାଧାଙ୍କୁ ସମସ୍ତ ସନ୍ଦେଶ ଜଣାଇଲେ । ଏହା ଶୁଣି ରାଧା ଖୁସି ହୋଇ ମନ ଭିତରେ ଥିବା ଆଶାକୁ ଉଜ୍ଜୀବିତ କଲେ ।

Image